| Intro | Indian writer |
| Is |
Writer Journalist |
| From | India |
| Type |
Journalism Literature |
| Gender | female |
| Birth | 17 April 1977, Jagatsinghpur district |
| Age: | 43 years |
ଗାୟତ୍ରୀବାଳା ପଣ୍ଡା ଜଣେ ଜଣାଶୁଣା ଓଡ଼ିଆ ସାହିତ୍ୟିକା ଓ ସମ୍ପାଦିକା । ସେ ମୁଖ୍ୟତଃ କବିତା, ଗଳ୍ପ, ଉପନ୍ୟାସ ଓ ଅନୁବାଦ ଆଦି ସାହିତ୍ୟ ରଚନା କରିଥାନ୍ତି । ସେ ‘ଅନ୍ୟା’ ନାମକ ଏକ ତ୍ରୟୋମାସିକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଥାନ୍ତି । ପ୍ରଥମ ଓଡ଼ିଆ ଭାବେ ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିଲେ ।
ବାଲ୍ୟଜୀବନ ଓ ଶିକ୍ଷା
ଗାୟତ୍ରୀବାଳା, ୧୯୭୭ ମସିହା ଅପ୍ରେଲ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡା । ପିତା ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ । ଗାୟତ୍ରୀବାଳା, ସାଦେଇପୁର, ବାଲିକୁଦା ଓ କଟକରେ ନିଜର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ । ବାପାଙ୍କ ଇଚ୍ଛାଥିଲା ଗାୟତ୍ରୀବାଳା ଡାକ୍ତର ହୁଅନ୍ତୁ, କିନ୍ତୁ ଝିଅର କଳାରେ ଆଗ୍ରହ ଦେଖି, ସେ ସେଦିଗରେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ଗାୟତ୍ରୀବାଳା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢିଥିଲେ ଓ ଛାତ୍ର ସଂସଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ସେ ପାଠାଗାର ବିଜ୍ଞାନରେ(Library and Information Science) ସ୍ନାତକୋତ୍ତର ପାଠ୍ୟକ୍ରମରେ ସମଗ୍ର ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ହାସଲ କରିଥିଲେ । ପରେ ସେ ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଓ ହିମାଚଳ ପ୍ରଦେଶ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି, ସେ ପବ୍ଲିକ ରିଲେସନ ସୋସାଇଟ ଅଫ ଇଣ୍ଡିଆରୁ ମଧ୍ୟ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି ।
ଗାୟତ୍ରୀବାଳା, ପ୍ରାୟ ଛଅ ସାତ ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ । ଗାୟତ୍ରୀବାଳାଙ୍କ ଜେଜେବାପା ଜଣେ ଉପନ୍ୟାସିକ ଥିଲେ ଓ ତାଙ୍କଠାରୁ ଗାୟତ୍ରୀବାଳା ଅନୁପ୍ରାଣିତ ହୋଇଥିଲେ । ପିଲାବେଳରୁ ସେ, ନିଜ ଦୁଃଖ ଓ ଅସହୟତା ଯାହାକୁ ଅନ୍ୟଭାବରେ କହି ପାରୁନଥିଲେ ତାହା କବିତା ମାଧ୍ୟମରେ ପ୍ରକାଶ କରିପାରୁଥିଲେ । ବାର ବର୍ଷ ହେବା ବେଳକୁ, ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇସାରିଥିଲା । ୨୦୦୦ ମସିହାରେ, ରାଜ୍ୟ ଯୁବ ପୁରସ୍କାର ତାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିଲା ।
ସାହିତ୍ୟ ସର୍ଜନା ଓ ସାମ୍ବାଦିକତା
ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ପାସ ହୋଇ, ସେ ସାମ୍ବାଦିକତା ବୃତ୍ତିକୁ ଆବୋରୀ ଥିଲେ ଓ ସମ୍ବାଦରେ କାର୍ଯ୍ୟକରିବା ଆରମ୍ଭ କରିଥିଲେ । ଦୁଇ ବର୍ଷ ଚାକିରି କରିବା ପରେ, ସେ ଚାକିରି ଛାଡି ଦେଇଥିଲେ । ତାପରେ ସେ, “ଅନ୍ୟା” ନାମକ ତ୍ରୟୋମାସିକ ପତ୍ରିକାର ସମ୍ପାଦନା ସହିତ ସାହିତ୍ୟ ରଚନା କରିଆସୁଛନ୍ତି ।
ଗାୟତ୍ରୀବାଳାଙ୍କ ସାହିତ୍ୟରେ ନାରୀ ମନର କୋହ, ସମାଜର ଅନ୍ୟାୟ ଓ ଅସମାନତା ଦେଖିବାକୁ ମିଳିଥାଏ, କିନ୍ତୁ ସେ ନିଜକୁ ଜଣେ ନାରୀବାଦୀ କବି ଭାବରେ ଚିତ୍ରଣ କରିବାକୁ ଚାହାଁନ୍ତି ନାହିଁ । ତାଙ୍କର ୫୦ଟି ନିର୍ବାଚିତ କବିତାକୁ ତାଙ୍କ ପିତା, ଓଡ଼ିଶା ସାହିତ୍ୟ ଏକାଡେମୀର ଯୁବ ସାହିତ୍ୟିକ ପୁରସ୍କାର ପାଇଁ ପଠେଇଥିଲେ ଓ ସେ ଏହି ପୁରସ୍କାର ଲାଭ କରିଥିଲେ । ସାହିତ୍ୟ ଏକାଡେମୀ ଏହି କବିତା ଗୁଡିକ ଏକ ପୁସ୍ତକ ଆକାରରେ ପ୍ରକାଶ କରିଛି । ଏହାପରେ ତାଙ୍କର ବହୁ କବିତା, ଗଳ୍ପ ଓ ସାକ୍ଷାତକାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତଥା ବେତାର ଓ ଦୂରଦର୍ଶନରେ ପ୍ରସାରିତ ହୋଇସାରିଛି । ଏଯାବତ ତାଙ୍କର ୧୧ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।
ଗାୟତ୍ରୀବାଳା, ୨୦୦୮ମସିହାରେ “ସାର୍କ ଯୁବ ଲେଖକ ସମ୍ମିଳନୀ”, ୨୦୧୦ମସିହାରେ “ରାଷ୍ଟ୍ରମଣ୍ଡଳ ଦେଶର ସାହିତ୍ୟିକ ସମ୍ମିଳନୀ” ଓ ୨୦୧୫ମସିହାରେ ଭାରତର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଆବାସିକ କଳା ଓ ସାହିତ୍ୟ କାର୍ଯ୍ୟକ୍ରମ ‘ଇନ୍-ରେଷିଡେନ୍ସ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।
ରଚନାବଳୀ
କବିତା ପୁସ୍ତକ
- ଆହତ ପ୍ରତିଶୃତି(୨୦୦୧)
- ଅସ୍ପଷ୍ଟ ଇଶ୍ଵର(୨୦୦୨)
- ଅଣାୟତ(୨୦୦୬)
- ଗାଁ(୨୦୦୮)
- ଯେତିକି ଦିଶୁଛି ଆକାଶ(୨୦୧୧)
- ଆଖି ନାଇଁ କାନ ନାଇଁ
- ଏ ରାତିର ଯେତେ ତାରା
- ଧୂପ କେ ରଙ୍ଗ(ହିନ୍ଦୀ)(୨୦୦୬)
ଗଳ୍ପ ସଂକଳନ
- ବିସର୍ଜନ
ଉପନ୍ୟାସ
- ପୂର୍ବ ନିର୍ଦ୍ଧାରିତ
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ୨୦୧୧
- ରାଜ୍ୟ ଯୁବ ପୁରସ୍କାର – ୧୯୯୯-୨୦୦୦
- କାଦମ୍ବିନୀ କବିତା ସମ୍ମାନ – ୨୦୦୩
- ହାଜି ଅସରଫ୍ ଅଲ୍ଲି ଉଦୟ ପ୍ରତିଭା ସମ୍ମାନ(ଫକୀର ମୋହନ ସାହିତ୍ୟ ପରିଷଦ) – ୨୦୦୪
- ବସନ୍ତ ମୁଦୁଲି କବିତା ସମ୍ମାନ – ୨୦୦୬
- ଲେଖାଲେଖି ଯୁବ କବି ସମ୍ମାନ – ୨୦୦୭
- ଶାରଳା କାବ୍ୟ ସମ୍ମାନ – ୨୦୧୦
- ମନ୍ଥନ ସମ୍ମାନ – ୨୦୧୦
- ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନ – ୨୦୧୧
- ରାଜୀବ ଗାନ୍ଧି ସଦଭାବନା ପୁରସ୍କାର – ୨୦୧୧
- ତଳପଦେଶ୍ଵରୀ ସାହିତ୍ୟ ସମ୍ମାନ – ୨୦୧୨
- ଟାଇମ ପାସ ସ୍ଵୟଂଶ୍ରୀ ସମ୍ମାନ – ୨୦୧୨
- ଦୀପକ ମିଶ୍ର କବିତା ପୁରସ୍କାର – ୨୦୧୫